ଇସ୍ରୋ ରଚିଲା ଇତିହାସ : ଚନ୍ଦ୍ରୟାନ-୩ର ଚନ୍ଦ୍ର ପୃଷ୍ଠରେ ସଫଳ ଅବତରଣ
ଭାରତର ଚନ୍ଦ୍ରୟାନ-୩ ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ମେରୁର ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି | ଆମେରିକା, ରୁଷିଆ ଓ ଚୀନ ପରେ ଭାରତ ଚତୁର୍ଥ ଦେଶ ଭାବରେ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଛି କିନ୍ତୁ ଭାରତ ପ୍ରଥମ ଦେଶ ଭାବରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରପୃଷ୍ଠକୁ ସଫଳତାର ସହିତ ପହଁଚିପାରିଛି। ଭାରତୀୟ ବୈଜ୍ଞାନିକମାନଙ୍କ ପ୍ରଚେଷ୍ଟାରେ ଏହି ମିଶନ ସଫଳ ହେବାପରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ISRO ଇତିହାସ ରଚିଛି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାରୁ ଏହି ସଫଳତା ପାଇଁ ଇସ୍ରୋର ସମସ୍ତ ବୈଜ୍ଞାନିକମାନଙ୍କୁ ଧନ୍ୟବାଦଦେବା ସହିତ ଦେଶବାସୀଙ୍କୁ ଶୁଭେଚ୍ଛା ଦେଇଛନ୍ତି। ନାସାର ମୁଖ୍ୟ ଏହି ମିଶନର ସଫଳତା ପାଇଁ ଭାରତ ଓ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି। ଦେଶ ବିଦେଶରୁ ବିଶିଷ୍ଟ ବ୍ୟକ୍ତିମାନଙ୍କର ଇସ୍ରୋର ଏହି ସଫଳତା ପାଇଁ ଅଭିନନ୍ଦନର ସୁଅ ଛୁଟିଛି। ଚନ୍ଦ୍ରୟାନ-୩ର ଏହି ସଫଳତା ଭାରତର ମହାକାଶ ଗବେଷଣା କାର୍ଯ୍ୟକ୍ରମକୁ ଆହୁରି ଅଗ୍ରସର କରିବ ଏବଂ ଏହାପରେ ଭାରତ ସୂର୍ଯ୍ୟ ଓ ଶୁକ୍ରଗ୍ରହ ପାଇଁ ଗବେଷଣା ପ୍ରାରମ୍ଭ କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।



